କରୋନା ଟିକା ନେବାପରେ ୩ ଷ୍ଟାଫ୍ ନର୍ସଙ୍କ ଅବସ୍ଥା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

କରୋନା ଟିକା ନେବାପରେ ୩ ଷ୍ଟାଫ୍ ନର୍ସଙ୍କ ଅବସ୍ଥା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଉଜ୍ଜେନ ୧୮/୦୧ : ବିଶ୍ୱର ସବୁଠାରୁ ବଡ ଟିକାକରଣ ଅଭିଯାନରେ ଶନିବାର ଦିନ ମଧ୍ୟ ପ୍ରଦେଶ ଉଜ୍ଜେନରେ ମଧ୍ୟ ୫ଟି ଭିନ୍ନ ଭିନ୍ନ ସ୍ଥାନରେ ଟିକାକରଣ ହୋଇଥିଲା। ଟିକା ନେବାର ୨୪ ଘଣ୍ଟା ନ ପୂରୁଣୁ ୩ଜଣ ଷ୍ଟାଫ୍ ନର୍ସଙ୍କ ମଧ୍ୟରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବାନ୍ତି, ଜ୍ୱର, ଝାଡା, ଅଣନିଶ୍ୱାସୀ ସମସ୍ୟା ଦେଖାଦେଇଛି। ଟିକା ନେବା ପରେ ୩ ଷ୍ଟାଫ୍ ନର୍ସ ରାଣୀ, ମହିମା ଓ ସୁମନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିବା ଅଭିଯୋଗ ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନର୍ସଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ପାଇ ଡାକ୍ତର ଓ ଜିଲ୍ଲା ଟିକାକରଣ ଅଧିକାରୀ ନର୍ସଙ୍କ ପାଖରେ ପହଞ୍ଚି ତାଙ୍କର ଯାଞ୍ଚ କରିଥିଲେ।
୩ଜଣଙ୍କ ମଧ୍ୟରୁ ରାଣୀଙ୍କ ଅବସ୍ଥା ଗମ୍ଭୀର ରହିଛି। ତାଙ୍କୁ ଜ୍ୱର ହେବା ସହ ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଛି। ରାଣୀକୁ ଗତକାଲି କରୋନା ଟିକା ଦିଆଯାଇଥିଲା। ଅଧା ଘଣ୍ଟାର ଅବଜର୍ଭେସନ ପିରିୟଡ଼ରେ ତାଙ୍କୁ କିଛି ଅସୁବିଧା ନ ହେବାରୁ ସେ ଡ୍ୟୁଟିକୁ ଚାଲିଯାଇଥିଲେ। ଅପରାହ୍ନ ୨ଟା ପରେ ତାଙ୍କୁ ଅସ୍ଥିର ଅନୁଭବ ହୋଇଥିଲା ଓ ସନ୍ଧ୍ୟାରେ ଅଣନିଶ୍ୱାସୀ ଲାଗିଥିଲା। ମହିଳାଙ୍କୁ ପତଳା ଝାଡା ସହ ଜ୍ୱର ହୋଇଥିଲା।

ଜିଲ୍ଲା ଟିକାକରଣ ଅଧିକାରୀ କହିଛନ୍ତି ଯେ ଏସବୁ ସାମାନ୍ୟ ପ୍ରତିକ୍ରିୟା। ଟିକା ନେବାପରେ ଜ୍ୱର ହେବା ସାମାନ୍ୟ ଘଟଣା। ତଥାପି ନର୍ସଙ୍କୁ ଅବଜର୍ଭେସନରେ ରଖାଯାଇଛି। ତେବେ ଭୟ କରିବାର କିଛି ନାହିଁ ବୋଲି କହିଛନ୍ତି ଟିକାକରଣ ଅଧିକାରୀ।
ସୂଚନାଯୋଗ୍ୟ ଯେ, ଜାନୁଆରୀ ୧୬ ତାରିଖରେ ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଛି। ସର୍ବ ପ୍ରଥମେ ଫ୍ରଣ୍ଟଲାଇନ କର୍ମୀଙ୍କୁ ଟିକା ଦିଆଯାଇଛି। ମଧ୍ୟ ପ୍ରଦେଶରେ ପ୍ରଥମ ଚରଣରେ ୪ ଲକ୍ଷ ୧୬ ହଜାର ଲୋକଙ୍କୁ ଟିକା ଦିଆଯିବ। ଏମାନଙ୍କ ମଧ୍ୟରୁ ୩ ଲକ୍ଷ ୩୧ ହଜାର ସରକାରୀ ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟାନ୍ୟ ଘରୋଇ କ୍ଷେତ୍ରର ସ୍ୱାସ୍ଥ୍ୟକର୍ମୀ।
ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଭୁରାମ ଚୌଧୁରୀ କହିଛନ୍ତି, ଲୋକେ ପ୍ରଶ୍ନ କରୁଛନ୍ତି ଯେ ମନ୍ତ୍ରୀ ଓ ଅଧିକାରୀଙ୍କୁ କାହିଁକି ପ୍ରଥମେ ଟିକା ଦିଆଯାଉନାହିଁ। ମନ୍ତ୍ରୀ କହିଛନ୍ତି ସେମିତି କିଛି ନାହିଁ। ପ୍ରଥମ ପର୍ଯ୍ୟାୟରେ କେବଳ ଅଗଧାଡ଼ିର କର୍ମଚାରୀ ଓ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବା ଲୋକଙ୍କୁ ଟିକା ଦିଆଯିବ। ଶେଷରେ ସାଧାରଣ ଜନତା, ନେତା, ମନ୍ତ୍ରୀ ଓ ଅଧିକାରୀଙ୍କୁ ଟିକା ଦିଆଯିବ।

 134