ବିଏମ୍‌ସି ହସ୍ପିଟାଲ ଦେଇ ଯାଇଛି ବିଉଟି ପାର୍ଲର୍‌କୁ ରାସ୍ତା !

ଭୁବନେଶ୍ୱର: ବହୁ ପୁରାତନ ବିଏମ୍‌ସି ହସ୍ପିଟାଲର ପିଛା ଛାଡୁନି ସମସ୍ୟା। କିଛିବର୍ଷ ହେଲା ଏହା ଏକ ‘ନାହିଁ ନାହିଁର ହସ୍ପିଟାଲ୍‌’ରେ ପରିଣତ ହୋଇଛି। ହସ୍ପିଟାଲରେ ନୂତନ ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ସତ୍ୟବ୍ରତ ଛୋଟରାୟ ଯୋଗଦେବାକୁ ଗତ ୪ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ହସ୍ପିଟାଲରୁ ଏକ ପ୍ରାଇଭେଟ୍‌ ପ୍ଲଟ୍‌କୁ ବାଟ ରହିଛି। ଏକ ବିୟୁଟିପାଲର ଓ ପ୍ରାଇଭେଟ୍‌ ପାଥୋଲେଜିକୁ ଲୋକେ ଏହି ବାଟେ ଯାଉଛନ୍ତି। ୪ବର୍ଷ ହେଲା ହୃଦ୍‌ରୋଗ ବିଭାଗ ପାଇଁ ତିଆରି ହୋଇଥିବା ଘରେ ଚାଲୁଛି ଚକ୍ଷୁ ବିଭାଗ, ଦନ୍ତ ବିଭାଗ, କର୍ଣ୍ଣ ନାସା ଗଳା ବିଭାଗ ଓ ପାଥୋଲୋଜି ବିଭାଗ। ଏଣ୍ଡୋସ୍କୋପି ଓ ଲାପ୍ରୋସ୍କୋପି ମେସିନ୍‌ ଦୀର୍ଘ ୬-୭ ବର୍ଷ ହେଲା ଅଚଳ ହୋଇ ପଡ଼ିଛି। ଅଲଟ୍ରାସାଉଣ୍ଡ ମେସିନ୍‌ ଥାଇ ନଥିଲା ଭଳି। ଚର୍ମ ବିଭାଗ ପୂରା ବନ୍ଦ। ସର୍ଜରି ସେବା ବି ବନ୍ଦ। ୧୦୮ଶଯ୍ୟାରୁ ଏବେ ମାତ୍ର ୫୬ଟି ପାଖା‌ପାଖି ଶଯ୍ୟା କାମରେ ଆସୁଛି। ଏମିତି ବହୁ ସମସ୍ୟା‌ରେ ଛନ୍ଦି ହୋଇ ବିଏମ୍‌ସି ହସ୍ପିଟାଲ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅବସ୍ଥାକୁ ଚାଲି ଆସିଥିବା କୁହାଯାଉଛି।

ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏଠାକୁ ଆସୁଥିବା ଅଧିକାଂଶ ରୋଗୀଙ୍କୁ ଅନ୍ୟତ୍ର ରେଫର୍‌ କରାଯାଉଛି। ସାମାନ୍ୟ ସର୍ଜରି ପାଇଁ ବି ରେଫର୍‌ କରି ଦିଆଯାଉଛି। ଚର୍ମ ବିଭାଗ ୨ମାସ ହେବ ବନ୍ଦ ହୋଇ ପଡ଼ିଛି।

ଏ ସମ୍ପର୍କରେ ଚିକିତ୍ସାଳୟ ସୁରକ୍ଷା କମିଟି ସଂଯୋଜକ ଆଇନଜୀବୀ ମଦନ ମୋହାନ ପ୍ରଧାନ କହନ୍ତି, ଏ ହସ୍ପିଟାଲ ଯେତିକି ପୁରୁଣା, ଏଠି ସେତିକି ସମସ୍ୟା। ସବୁ ଅଚଳ ବିଭାଗ ନଖୋଲିଲେ ଆନ୍ଦୋଳନ କରାଯିବ। ସେହିପରି ଏକାମ୍ର ଜନଜାଗରଣ ମଞ୍ଚ ସଭାପତି ଭୀଷ୍ମ ନାରାୟଣ ନାୟକ କହିଛନ୍ତି, ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ହସ୍ପିଟାଲର କ୍ୟାବିନ୍‌କୁ ମାଡ଼ି ବସିଛନ୍ତି। ହୃଦ୍‌ରୋଗ ବିଭାଗ ତୁରନ୍ତ ଖୋଲିବା ସହ ପ୍ରାଇଭେଟ୍ ପ୍ଲଟ୍‌କୁ ବାଟ ବନ୍ଦ ନକଲେ ଆନ୍ଦୋଳନ କରାଯିବ।

Leave a Reply

Your email address will not be published. Required fields are marked *